Connect with us

Healthcare

ବାଣୀବିହାରରେ ଗବେଷଣା ଚାଲିଛି ଏମିତି: ସ୍ମାରକୀ ଚେୟାର ସବୁ ଉଠିଲା କାହିଁକି? କୁଆଡ଼େ ଗଲା ୧୦ କୋଟିରୁ ଅଧିକ ଟଙ୍କା?

ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଗବେଷଣା ପାଇଁ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେଉଛି

Photo: Shutterstock

ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଗବେଷଣା ପାଇଁ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ହେଉଛି। ଦିଲ୍ଲୀସ୍ଥିତ ଜେଏନ୍‌ୟୁ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଗବେଷଣା ଲାଗି ରାଜ୍ୟ ସରକାର ଚେୟାର ପ୍ରତିଷ୍ଠା କରିଛନ୍ତି। ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ହାତକୁ ନେଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ କିନ୍ତୁ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପରେ ଗୋଟିଏ ବିଭାଗରୁ ଚେୟାର ହଜିବାରେ ଲାଗିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୮ରୁ ଅଧିକ ଚେୟାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେସବୁର ଏବେ ସତ୍ତା ନାହିଁ। ୧୯୭୦ ଦଶକରେ ପଦାର୍ଥ ବିଜ୍ଞାନ ବିଭାଗରେ ମୟୂରଭଞ୍ଜ ଚେୟାର୍‌ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ଏହାର ଦାୟିତ୍ୱରେ ପ୍ରଫେସର ବିବି ଦେଓ ରହିଥିଲେ। କିଛି ବର୍ଷ ଚାଲିବା ପରେ ତାହା ଉଭାନ ହୋଇଯାଇଛି। ୧୯୮୦ରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିଜା ଚେୟାର ପ୍ରତିଷ୍ଠା ହୋଇଥିଲା। ଏହି ଚେୟାରର ପ୍ରଫେସର ପିସି ତ୍ରିପାଠୀ ଥିଲେ। ଏହି ଚେୟାର ଆଉ ନାହିଁ। ୧୯୯୦ରୁ ୯୫ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ନୃବିଜ୍ଞାନ ବିଭାଗରେ ହାଲଡେନ୍‌ ଚେୟାର ହୋଇଥିଲା। ଏହାର ଦାୟିତ୍ୱରେ ପ୍ରଫେସର ପି.କେ. ଦାଶ ରହିଥିଲେ। ତାହା ବି ବନ୍ଦ ହୋଇଯାଇଛି। ସେହିପରି ୮୦ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ଚେୟାର ଓ ଆର୍ତ୍ତବଲ୍ଲଭ ଚେୟାର ବନ୍ଦ ହୋଇଯାଇଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ସମସ୍ତେ ଆଶା କରିଥିଲେ ଯେ, ଉକ୍ତ ଦୁଇ ଚେୟାରର ପୁନରୁଦ୍ଧାର ହେବ। ହେଲେ ରାଜ୍ୟ ସରକାର କିମ୍ବା ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ସେହିପରି ଭୂତତ୍ତ୍ୱ ବିଭାଗରେ ୧୯୮୦ରେ ପ୍ରତିଷ୍ଠା ହୋଇଥିବା ଟାଟା ଚେୟାର, ଅର୍ଥନୀତି ବିଭାଗର ଆର୍‌ବିଆଇ ଓ ଏସ୍‌ବିଆଇ ଚେୟାର ବନ୍ଦ ହୋଇଯାଇଛି। ଏହି ୮ଟି ଚେୟାର ବ୍ୟତୀତ ଆଉ କିଛି ଚେୟାର ପାଇଁ ପ୍ରସ୍ତାବ ରହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାହା ଖୋଲାଯାଇ ନାହିଁ। ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଚେୟାରଗୁଡ଼ିକ ପାଇଁ ୧୦ କୋଟିରୁ ଅଧିକ ଟଙ୍କା ଆସିଥିଲା। ପ୍ରତି ଚେୟାର ପାଇଁ ଟଙ୍କା ସମ୍ପୃକ୍ତ ବିଭାଗ ଅଧୀନରେ ରହିବା କଥା। ହେଲେ ତାହାର ହିସାବ ମିଳୁନି। ଯେଉଁ ଟଙ୍କା ଡିପୋଜିଟ୍‌ ହୋଇଥିଲା ତାହା କେଉଁଠି ଅଛି ସେନେଇ କାହା ପାଖରେ ଖବର ବି ନାହିଁ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ଯେ, ଚେୟାର ଖୋଜିବା ପାଇଁ ଦୁଇ ଜଣ ପ୍ରଫେସରଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଐତିିହାସିକ ତଥ୍ୟ ଏକାଠି କରୁଛନ୍ତି। ଏହାପରେ ଚେୟାର ସମ୍ପର୍କିତ ତଥ୍ୟ ୟୁଜିସି, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଘରୋଇ ସଂସ୍ଥାଙ୍କ ସହଯୋଗରେ ଏହାକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

More in Healthcare